ନୂଆଦିଲ୍ଲୀ:ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ବର୍ଷ ଶେଷ ବେଳକୁ ଇନକ୍ରିମେଣ୍ଟକୁ ଚାହିଁ ରହିଥାନ୍ତି । ଦରମା ବଢ଼ିବ ବୋଲି ଆଶା ବାନ୍ଧି ବସିଥାନ୍ତି । ଏ କଥା ସମସ୍ତେ ଜାଣନ୍ତି । କିନ୍ତୁ ଯଦି କମ୍ପାନୀର ଟାର୍ଗେଟ୍ ପୂରଣ ନ ହୁଏ ….
ଟାର୍ଗେଟ୍ ପୂରଣ ନ ହେଲେ କମ୍ପାନୀ କଣ କରିପାରେ ତାହା କମ୍ୟୁନିଷ୍ଟ ଶାସିତ ଆମ ପଡ଼ୋଶୀ ଚାଇନାରେ ଦେଖିବାକୁ ମିଳିଛି । ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ କାବା କରିଦେବ । ବାର୍ଷିକ ସେଲ୍ସ ଟାର୍ଗେଟ୍ ଫେଲ୍ ପାଇଁ କମ୍ପାନୀ ଏହାର କର୍ମଚାରୀଙ୍କୁ ଦଣ୍ଡିତ କରିବାର ଭଳ ଉପାୟଟିଏ ଆପଣାଇଛି। କର୍ମଚାରୀମାନଙ୍କୁ ରାଜରାସ୍ତାରେ ବେଶ କିଛି ସମୟ ପର୍ଯ୍ୟନ୍ତ ଆଣ୍ଠୁଆ ଚଲାଇ ଚଲାଇ ନେଇଛି । ପୁରୁଷ କି ମହିଳା କିଛି ବାଛ ବିଚାର କରିନାହିଁ କମ୍ପାନୀ କର୍ତ୍ତୃପକ୍ଷ । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏ ଦୃଶ୍ୟରେ ଜଣେ ବ୍ୟକ୍ତି ପତାକା ଧରି ଆଗରେ ଚାଲିଥିବା ବେଳେ ତାଙ୍କ ପଛେ ପଛେ ବାକି କର୍ମଚାରୀମାନେ ଧାଡ଼ିବାନ୍ଧି ଆଣ୍ଠେଇ ଚାଲିଥିଲେ । ପଥଚାରୀମାନେ ଏ ଦୃଶ୍ୟ ଦେଖି ତାଜୁବ୍ ହୋଇଯାଇଥିଲେ । ଅବଶ୍ୟ ସ୍ଥାନୀୟ ପୋଲିସ ଆସି ଏହାକୁ ବନ୍ଦ କରିଥିଲା । ହେଲେ କମ୍ପାନୀର ହିଟଲରୀ ଶାସନର ଦୃଶ୍ୟ ମୋବାଇଲରେ କଏଦ ହୋଇ ସେତେବେଳେକୁ ଚାଇନା ସାରା ଖେଳାଇ ହୋଇ ସାରିଥିଲା ।
କେଉଁ କମ୍ପାନୀ ନିଜ କର୍ମଚାରୀଙ୍କ ପ୍ରତି ଏଭଳି ଦରଦହୀନ ଆଚରଣ ଦେଖାଇଛି ତାହା ଜଣାପଡ଼ିନାହିଁ, କିନ୍ତୁ ଏହା ସୂଚନା ମିଳିଛି ଯେ ସଂପୃକ୍ତ କର୍ମଚାରୀ ବେଶ ନିନ୍ଦିତ ହେଲା ପରେ ସାମୟିକ ଭାବେ ବନ୍ଦ ହୋଇଯାଇଛି ।
ତେବେ ଚାଇନାରେ ଏପରି ଘଟଣା ନୂଆ ନୁହେଁ । ପୂର୍ବରୁ ଏମିତି ଅନେକ ଘଟଣାର ନଜିର ମଧ୍ୟ ରହିଛି ।